ଆସନ୍ତାକାଲି ଦେବ ସ୍ନାନ ପୂର୍ଣ୍ଣିମା; ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ ।

ଆସନ୍ତାକାଲି ଦେବ ସ୍ନାନ ପୂର୍ଣ୍ଣିମା । ଯାହାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜ୍ୟେଷ୍ଠମାସ ପୂଣ୍ଣିମା ତିଥିରେ ଶ୍ରୀଜିଉମାନଙ୍କର ସ୍ନାନ ଯାତ୍ରା ଓ ହାତୀ ବେଶ ବା ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ । ଏହି ହାତୀ ବେଶକୁ ପ୍ରସ୍ତୁତ କରିଥାନ୍ତି ପୁରୀର ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ । ବହୁ ପୁରାତନ କାଳରୁ ଚାଲିଆସୁଥିବା ଏହି ପରମ୍ପରାକୁ ମଠ ପକ୍ଷରୁ ବଜାୟ ରଖାଯାଇଛି । ସେଥିପାଇଁ ହାତୀ ବେଶର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ଶ୍ରୀଜିଉମାନଙ୍କୁ ସ୍ନାନମଣ୍ଡପରେ ସ୍ନାନ ଯାତ୍ରା ପରେ ହାତୀ ବେଶ ବା ଗଜାନନ ବେଶ କରାଯାଇଥାଏ । ଭକ୍ତ ଗଣପତି ଭଟ୍ଟଙ୍କୁ ଦର୍ଶନ ଦବାପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିଲେ ବୋଲି ଜଣାଯାଏ । ସେଥିପାଇଁ ପୁରୀର ଗୋପାଳତୀର୍ଥ ମଠ ଓ ରାଘବଦାସ ମଠ ପକ୍ଷରୁ ଏହି ହାତୀ ବେଶ ସେବା ଯୋଗାଇ ଦିଆଯାଇଥାଏ । ସ୍ନାନ ପୂର୍ଣ୍ଣିମା ପାଇଁ ମହାପ୍ରଭୁଙ୍କ ହାତୀ ବେଶ ଶେଷ ପର୍ଯ୍ୟାୟରେ।

ଅକ୍ଷୟ ତୃତୀୟା ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ସ୍ନାନ ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ । ଏହି କାର୍ଯ୍ୟରେ ସୋଲ କାରିଗର, ଦର୍ଜି, ଚିତ୍ରକର ଓ ମାଳି ଏକତ୍ର ମିଳିମିଶି ନିୟମ ନିଷ୍ଠାରେ କାମ କରିଥାନ୍ତି । ଏହି ହାତୀ ବେଶରେ ମୁଖ୍ୟତଃ କଦଳୀଗଛର ପଟୁଆ, କଇଁଥ ଅଠା, ସୋଲ, ଜରି, କପଡା, ଲେସ ଆଦିକୁ ନେଇ ପ୍ରସ୍ତୁତ କରାଯାଏ । ବିଶେଷକରି ରାଘବଦାସ ମଠ ପକ୍ଷରୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ଓ ଗୋପାଳତୀର୍ଥ ମଠ ତରଫରୁ ବଳଭଦ୍ରଙ୍କର ବେଶ ଦିଆଯାଇଥାଏ । ଏହି କାରିଗର ମାନଙ୍କୁ ମଠ ପକ୍ଷରୁ ପାରିଶ୍ରମିକ ଦିଆଯାଏ । ସେମାନେ ଏହାକୁ ଠାକୁରଙ୍କ ସେବା ଭାବରେ ଗ୍ରହଣ କରିଥାନ୍ତି । ପାରମ୍ପରିକ ସେବା ହୋଇଥିବାରୁ ପିଢି ଅନୁଯାୟୀ କାରିଗରମାନେ ହାତୀ ବେଶକୁ କରିଥାନ୍ତି । ସେପଟେ ଏହି ହାତୀ ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମହଲରେ ବେଶ ଆବେଗ ରହିଥାଏ । ଆଉ ଏହାକୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ମତ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial