୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ନିଆଯାଉଥିଲା ରାସନ ଚାଉଳ : ଯୋଗାଣମନ୍ତ୍ରୀ

ରାଜ୍ୟରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ନିଆଯାଉଥିଲା ରାସନ ଚାଉଳ । ବିଧାନସଭାରେ ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି….

ଅକ୍ଷର ବ୍ୟୁରୋ : ରାଜ୍ୟରେ ୩ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ନିଆଯାଉଥିଲା ରାସନ ଚାଉଳ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଦେଇଛନ୍ତି ଏଭଳି ଉତ୍ତର । ରାଜ୍ୟରେ ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ନିଆଯାଉଥିଲା ରାସନ ଚାଉଳ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

ସର୍ବାଧିକ କେନ୍ଦୁଝରରେ ୩୫ ହଜାର ୫୫୦ଜଣ ମୃତ ବ୍ୟକ୍ତି ହାତେଇଥିଲେ ରାସନ କାର୍ଡ । ସେହିପରି ଗଞ୍ଜାମରେ ୨୫ ହଜାର ୭୮୯, ମୟୂରଭଞ୍ଜରେ ୨୩ହଜାର ୭୯୯, ରାୟଗଡାରେ ୨୨ ହଜାର ୪୧୧ଜଣ ମୃତ ବ୍ୟକ୍ତି ରାସନ ଚାଉଳ ଉଠାଉଥିବା ମନ୍ତ୍ରୀ କହିଛନ୍ତି ।

ବିଜେଡି ବିଧାୟକ ଗଣେଶ୍ୱର ବେହେରା ବିଧାନସଭାରେ ଆଜି ପର୍ୟ୍ୟନ୍ତ କେତେ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି, ତାର ରିପୋର୍ଟ ମାଗିଥିଲେ । ଯାହାର ଉତ୍ତର ଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୯୯ ଲକ୍ଷ ୫୦ ହଜାର ୮୨୦ ଜଣ ହିତାଧିକାରୀ ଇ-କେଓ୍ୱାଇସି କରିଛନ୍ତି ।

ସେମାନଙ୍କ ମଧ୍ୟରୁ ୨ କୋଟି ୯୮ ଲକ୍ଷ ୧୪ ହଜାର ୯୨୧ ହିତାଧିକାରୀ ଓଡ଼ିଶା ଭିତରେ ଥାଇ ଏବଂ ୧ ଲକ୍ଷ ୩୫ ହଜାର ୮୯୯ ପିଡିଏସ୍ ହିତାଧିକାରୀ ଓଡ଼ିଶା ବାହାରେ ଥାଇ ନିଜ ଇ-କେଓ୍ୱାଇସି କରାଇଛନ୍ତି । ତେବେ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୮ ହଜାର ୯୩୨ ଜଣ ମୃତ ବ୍ୟକ୍ତିଙ୍କ ନାମ ରାସନ କାର୍ଡ ତଥ୍ୟାବଳୀରେ ରହିଥିବା ଚିହ୍ନଟ କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial