ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍, ଏବେ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ।

କମୁଛି ହୀରାକୁଦ ଡ୍ୟାମ୍‌ର ଜଳସ୍ତର । ବନ୍ଦ ହେଲା ୪ଟି ଗେଟ୍ । ଏବେ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି । ଏଥିଭିତରୁ ବାମ ପଟେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଖୋଲାଯାଇଛି । ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍‌ ଖୋଲାଯାଇଥିଲା । ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍‌ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା । ଗତ ୩ ଦିନ ଧରି ଉପର ମୁଣ୍ଡରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା । ଶୁକ୍ରବାର ସକାଳ ୮ଟା ବେଳକୁ ହୀରାକୁଦକୁ ହାରାହାରି ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା । ତେଣୁ ଜଳସ୍ତର ବଜାୟ ରଖିବାକୁ ସକାଳ ୯ଟାରେ ୪ଟି ଓ ଦିନ ୨ଟାରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା । ଫଳରେ ହୀରାକୁଦ ବାମପାର୍ଶ୍ବର ୧୬ ଓ ଡାହାଣ ପାର୍ଶ୍ବର ୮ଟିକୁ ମିଶାଇ ମୋଟ ୨୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଥିଲା ।

ସେହି ସମୟରେ ମହାନଦୀ ତଳମୁଣ୍ଡ ବେଲଗାଁରେ ୧୪ ହଜାର କ୍ୟୁସେକ୍‌, ପର୍ଥଲାରେ ୩୭ ହଜାର କ୍ୟୁସେକ୍‌, ଖଇରମାଳରେ ୪ ଲକ୍ଷ ୧୮ ହଜାର କ୍ୟୁସେକ୍‌, ବରମୂଳରେ ୩ ଲକ୍ଷ ୧୧ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିରେ ୧ ଲକ୍ଷ ୯୬ ହଜାର ୦୨୬ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ଓ ତଳମୁଣ୍ଡରେ ବର୍ଷା ହ୍ରାସ ପାଇଛି । ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ମଧ୍ୟରେ ଉପର ମୁଣ୍ଡରେ ୧୧.୧୮ ମିମି ଏବଂ ତଳମୁଣ୍ଡରେ ୬.୮୦ ମିମି ବର୍ଷା ରେକର୍ଡ କରାଯାଇଛି । ୨୪ଟି ଗେଟ୍‌ ଖୋଲାଯିବାରୁ ସମ୍ବଲପୁର ସହର ଉପକଣ୍ଠ ମାଳତି ନଦୀରେ ମହାନଦୀର ପଛୁଆପାଣି ପଶି ମାଳତି ଗୁଣ୍ଡେରପୁର ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ସମ୍ବଲପୁର-ସୁବର୍ଣ୍ଣପୁରମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial