ଆଜିକୁ ଠିକ୍ ତିନି ବର୍ଷ ତଳେ ଅର୍ଥାତ୍ ଜୁଲାଇ ୨୫, ୨୦୨୨ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପ୍ରତିଟି ଦେଶବାସୀଙ୍କ ମନରେ ଥିଲା ଖୁସି ଆଉ ଉଲ୍ଲାସ । ଦେଶର ସର୍ବୋଚ୍ଚ ପଦବୀରେ ଅଳଙ୍କୃତ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ସେ ଥିଲେ ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ସେ ସକ୍ରିୟତାର ସହ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହାରି ଭିତରେ ରାଷ୍ଟ୍ରପତି ଭାବରେ ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ତିନି ବର୍ଷ ପୂରଣ ହୋଇଛି । ଶପଥ ନେବା ସମୟରେ ସଂସଦର କେନ୍ଦ୍ରୀୟ କକ୍ଷରେ ଓଡ଼ିଶାର ମହାନ ସନ୍ଥକବି ଭୀମଭୋଇଙ୍କ ‘ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ’ ଉକ୍ତି ରାଷ୍ଟ୍ରପତିଙ୍କ ଆଗାମୀ କାର୍ଯ୍ୟଶୈଳୀର ସଙ୍କେତ ଦେଇଥିଲା ।
ପ୍ରଥମେ ଶିକ୍ଷୟିତ୍ରୀରୁ ରାଜନୀତି, ବିଧାୟିକାରୁ ମନ୍ତ୍ରୀ ପରେ ମନ୍ତ୍ରୀରୁ ରାଜ୍ୟପାଳ ଆଉ ଏବେ ରାଜ୍ୟପାଳରୁ ରାଷ୍ଟ୍ରପତି । ଏମିତି ଥିଲା ରାଇରଙ୍ଗପୁରରୁ ରାଇସିନା ହିଲର ଯାତ୍ରା । ରାଇରଙ୍ଗପୁର ଅନ୍ତର୍ଗତ ବାଲଦାପୋଷି ଅଂଚଳର ଦ୍ରୌପଦୀ ମୁର୍ମୁ ଶିକ୍ଷକତା ଛାଡ଼ି ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ । ବିଏ ପାସ୍ କରିଥିବା ମୁର୍ମୁ ରାଇରଙ୍ଗପୁର ଏନଏସି ଉପାଧ୍ୟକ୍ଷା ହୋଇଥିଲେ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ମୁର୍ମୁ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ରାଇରଙ୍ଗପୁର ଆସନରୁ ସେ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ସଦସ୍ୟ ଥିଲେ । ଦାରିଦ୍ର୍ୟ ଆଉ ସଂଘର୍ଷପୂର୍ଣ୍ଣ ଜୀବନ ଦୁଃଖକୁ ଚାପି ଲୁହକୁ ପିଇ ପଙ୍କରୁ ପଦ୍ମ ହୋଇ ଫୁଟିଥିଲେ ରାଷ୍ଟ୍ରପତି ମୁର୍ମୁ । ସ୍ୱାମୀ ଓ ଦୁଇ ଦୁଇଟି ପୁଅକୁ ହରାଇ ସେ ହାରି ନଥିଲେ ବରଂ ଜୀବନକୁ ବଞ୍ଚିଥିଲେ । ୨୦୧୫ରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ । ଝାଡଖଣ୍ଡର ରାଜ୍ୟପାଳ ଭାବେ ସେ ୫ ବର୍ଷ ଦାୟିତ୍ୱ ତୁଲାଇଥିଲେ । ୨୦୨୧ରେ କାର୍ଯ୍ୟକାଳ ସରିବା ପରେ ଓଡିଶା ଫେରିଥିଲେ । ଏହାପରଠୁ ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ତାଙ୍କ ନାଁ ଘୋଷଣା ହୋଇଥିଲା ।
Leave a Reply