ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି 2 ବର୍ଷ ।

ବାହାନଗା ରେଳ ଦୁର୍ଘଟଣାକୁ ଆଜି 2 ବର୍ଷ ପୁରିଛି । କିନ୍ତୁ ମନରୁ ଲିଭିନି ସେହି କଳା ରାତିର କଳା କାହାଣୀ । ଜୁନ 2 ତାରିଖ, 2023 ସନ୍ଧ୍ୟା 7ଟା । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ । ରାତିର ଅନ୍ଧକାରକୁ ଚିରି ଟ୍ରାକରେ ଆସୁଥିଲା କରମଣ୍ଡଳ ଏକ୍ସପ୍ରେସ । ଅନେକ ସ୍ବପ୍ନ ନେଇ ଟ୍ରେନରେ ଯାତ୍ରା କରୁଥିଲେ ଯାତ୍ରୀ । ଟ୍ରେନରେ କାହାର ପୁରା ପରିବାର ଥିଲା ତ କାହାର ସ୍ୱାମୀ, କାହାର ସାଙ୍ଗ, କାହାର ପୁଅ, କାହାର ଝିଅ କାହାର ବାପା ମାଆ ଯାତ୍ରା କରୁଥିଲେ । କିନ୍ତୁ ସେମାନେ ଜାଣିନଥିଲେ ଏହା ତାଙ୍କର ଶେଷ ଯାତ୍ରା ହେବ ବୋଲି । ଟ୍ରେନ ତାର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବାହାନଗାରେ ଅଟକିଯାଇଥିଲା । ଏହାପରେ ଯାହା ଘଟିଲା ତାହା ପୁରା ବିଶ୍ୱକୁ ଦୋହଲାଇ ଦେଇଥିଲା ।

ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା । କରମଣ୍ଡଳ ଏକ୍ସପ୍ରେସ ହଠାତ ବାହାନଗାରେ ଲୁପ ଲାଇନକୁ ଚାଲିଯାଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ପରେ ପାର୍ଶ୍ୱବର୍ତ୍ତୀ ଟ୍ରାକରେ ଆସୁଥିବା ଯଶୋବନ୍ତପୁର- ହାଓ୍ୱଡା ହମସଫର ଏସପ୍ରେସ୍‌ ମଧ୍ୟ ଲାଇନଚ୍ୟୁତ ବଗିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ଏହାପରେ ଲୌହଦାନବ ରଚିଥିଲା ରକ୍ତର ଭୋଜି । ଆର୍ତ୍ତ ଚିତ୍କାରରେ ଫାଟି ପଡିଥିଲା ସାରା ଅଞ୍ଚଳ । ଟ୍ରାକ ତଳୁ ଶୁଭିଥିଲା ବଞ୍ଚାଓ ବଞ୍ଚାଓ ଶବ୍ଦ । ଖବର ପ୍ରଚାର ହେଉ ହେଉ ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼ । ସେଠାରେ ସେମାନେ ଯାହା ଦେଖିଥିଲେ ତାହା ତାଙ୍କୁ ବିଚଳିତ କରିଦେଇଥିଲା । କାହାର ଶରୀର ଦୁଇ ଭାଗ ହୋଇଯାଇଥିଲା ତ ଆଉ କାହାର ଗୋଡ ଶରୀରଠୁ ଅଲଗା ହୋଇଯାଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ମୃତଦେହ ଉପରେ ଚଢି ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଶହଶହ ଯାତ୍ରୀ ଆହତ ହେବା ସହ ଲିଭି ଯାଇଥିଲା 297 ଜଣଙ୍କ ଜୀବନ ଦୀପ । ଯାହାକୁ ଆଜି ବି ଲୋକେ ମନେ ପକଉଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial