ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ; ୩୧,୮୭୪ କ୍ୟୁସେକ୍ ଜଳ ମହାନଦୀରେ ପ୍ରବେଶ ।

ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର ବଢ଼ିବାରେ ଲାଗିଛି । ପ୍ରତି ସେକେଣ୍ଡରେ ୩ଲକ୍ଷ ୩ହଜାର ୯୪୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ଆହୁରି ୪ଟି ଗେଟ୍‌ ଖୋଲାଯାଇଛି । ଗତକାଲି ୧୬ଟି ଗେଟ୍‌ ଖୋଲାଥିବା ବେଳେ ଆଜି ୨୦ଟି ଗେଟ୍‌ ଦେଇ ମହାନଦୀରେ ଜଳ ନିଷ୍କାସନ କରାଯାଉଛି । ବାମ ପଟର ୧୩ଟି ଓ ଡାହାଣ ପଟର ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଅଧିକ ଗେଟ୍‌ ଖୋଲା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୫୮ ମିମି ବର୍ଷା ରେକର୍ଡ କରାଯାଇଛି । କାଲି ସନ୍ଧ୍ୟାରେ ଜଳଭଣ୍ଡାରକୁ ହାରାହାରି ୨,୭୮,୯୨୬ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ସର୍ବମୋଟ ୩,୬୧,୫୧୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା । ଏହି ସମୟରେ ସ୍ଲୁଇସ୍‌ ଗେଟ୍‌ଗୁଡ଼ିକ ଦେଇ ୩,୨୭,୨୦୦ କ୍ୟୁସେକ୍ ଓ ପାୱାର ଚ୍ୟାନେଲ୍‌ ଦେଇ ୩୧,୮୭୪ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଉଛି ।

ଶିଳ୍ପାନୁଷ୍ଠାନଗୁଡ଼ିକ ୨୪୩ କ୍ୟୁସେକ୍ ପାଣି ଟାଣୁଥିବା ବେଳେ ଜଳସେଚନ ନିମନ୍ତେ କେନାଲ୍‌ଗୁଡ଼ିକରେ ୨,୨୦୦ କ୍ୟୁସେକ୍ ପାଣି ଛଡ଼ାଯାଇଛି । ସେଥିରୁ ବରଗଡ଼ ମୁଖ୍ୟ କେନାଲରେ ୨,୧୯୩ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୭ କ୍ୟୁସେକ୍ ଜଳ ଛଡ଼ାଯାଇଥିବା ବେଳେ ଶାସନ ମୁଖ୍ୟ କେନାଲରେ ଜଳଯୋଗାଣ ବନ୍ଦ ରହିଛି । ହୀରାକୁଦ ଜଳଭଣ୍ଡାରର ତଳମୁଣ୍ଡ ମହାନଦୀର ଖଇରମାଳଠାରେ ୪,୯୬,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଏବଂ ମୁଣ୍ଡଳିଠାରେ ୨,୦୯,୫୩୬ ଜଳ ପ୍ରବେଶ କରୁଛି । ଆଜି ସକାଳ ୬ଟା ପରେ ମୁଣ୍ଡଳିଠାରେ ଜଳପ୍ରବେଶ ହାର ପ୍ରାୟ ୬,୫୦,୦୦୦ କ୍ୟୁସେକ୍ ହୋଇଯିବ ବୋଲି ଆକଳନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରୁଲ୍‌କର୍ଭ ଅନୁସାରେ, ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ପହିଲା ଆଡ଼କୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତର ୬୩୦ ଫୁଟରେ ପହଞ୍ଚିଥାଏ। କିନ୍ତୁ ଚଳିତ ବର୍ଷ ଜଳସ୍ତର ଆଗୁଆ ଶୀର୍ଷ ସ୍ତରରେ ପହଞ୍ଚି ଯାଇଥିଲା।


Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial