ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୧୫ ଲକ୍ଷ ନୂଆ ହିତାଧିକାରୀ । ଏନେଇ ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ସେଥିରେ ଉଲ୍ଲେଖ ଅଛି ଯେ, ଖାଦ୍ୟ ସୁରକ୍ଷା ପାଇଁ ଯୋଗ୍ୟ ଆବେଦନକାରୀଙ୍କ ପାଇଁ ରାଜ୍ୟ ଖାଦ୍ୟ ଯୋଜନା ଅଧିନରେ ୧୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାର ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ହିତାଧିକାରୀମାନଙ୍କୁ ରାସନ କାର୍ଡ ପରିଚାଳନା ପ୍ରଣାଳୀ (RCMS) ସର୍ଭରେ ଅଦ୍ୟତନ କରାଯାଉଛି । ଯାହାକୁ ପରେ ସମୀକ୍ଷା ପାଇଁ CCSO/CSO ଲଗଇନ୍ କରି ଦେଖାଯାଇପାରିବ । ଚିଠିରେ ଉଲ୍ଲେଖ କରାଯାଇଛି ଯେ, SFSSର ଚୂଡାନ୍ତ ପ୍ରାଥମିକତା ତାଲିକାରେ ଆବେଦନକାରୀଙ୍କ ପରିବାରକୁ ଅର୍ନ୍ତଭୂକ୍ତ କରିବା ସମୟରେ ଓଡିଶା ରାଜ୍ୟ ଖାଦ୍ୟ ସୁରକ୍ଷା ନିୟମ ତଥା 2020ରେ ଉଲ୍ଲେଖିତ ଯୋଗ୍ୟତା ଏବଂ ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀଗୁଡିକୁ କଠୋର ଭାବେ ପାଳନ କରାଯିବ ।
ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬ ଲକ୍ଷ ହିତାଧିକାରୀ ଲାଭବାନ ହୋଇଛନ୍ତି । ରାଜ୍ୟରେ ପ୍ରାୟ ଲକ୍ଷେ ଅଯୋଗ୍ୟ ହିତାଧିକାରୀ ଲୋକଙ୍କ ରାସନ କାର୍ଡ କଟିଛି । ଏହାବାଦ୍ ଅନ୍ୟ ୫ ଲକ୍ଷ ମୃତ ହିତାଧିକାରୀଙ୍କୁ ମିଶାଇ ମୋଟ ୬ ଲକ୍ଷ କାର୍ଡ କାଟି ଦିଆଯାଇଥିଲା । ଏହି ୬ ଲକ୍ଷ ଲୋକଙ୍କ ରାସନ କାର୍ଡ ଗରିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ । ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅନୁମୋଦନରେ ୬ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟାଯାଇଥିଲା । ଇ-କେୱାସି ବ୍ୟବସ୍ଥାରେ ଯାଞ୍ଚ କରି ବହୁ ହିତାଧିକାରୀଙ୍କୁ ତାଲିକାରୁ ହଟାଯାଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ କାର୍ଡ ରହିଛି ଏବଂ ସେସବୁ ନୂଆ ଲୋକଙ୍କୁ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Leave a Reply