ଅନୁଗୁଳ : ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ହାତୀ ଆକ୍ରମଣରେ ତରଭା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି | ଆଜି ସକାଳେ ଏହି ଘଟଣା ଜଣାପଡ଼ିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଜଗନ୍ନାଥପୁର -ଟିକରପଡ଼ା ରାସ୍ତା ଅବରୋଧ କରିଛନ୍ତି | ଫଳରେ ଅଭୟାରଣ୍ୟର ଟିକରପଡ଼ା ଅଞ୍ଚଳକୁ ଗାଡି ଚଳାଚଳ ବନ୍ଦ ରହିଛି |
ସୂଚନାନୁଯାୟୀ , ପମ୍ପାସର ରେଞ୍ଜ ତରଭା ଗାଁରେ ଗତକାଲି ରାତିରେ ହାତୀ ଉପଦ୍ରଵ ରହିଥିଲା | ଗାଁର ଅନିଲ ଭୋଇ (୨୬ ) ରାତିରେ କୌଣସି କାମରେ ଅନ୍ୟ ଏକ ସାହିକୁ ଯାଇ ଘରକୁ ଫେରିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା | ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା | ଗତକାଲି ରାତିରେ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଜାଣିପାରିନଥିବା ବେଳେ ସକାଳେ ହାତୀ ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା | ପୁରୁଣାକୋଟ ପୋଲିସ ସହିତ ପମ୍ପାସର ଡେପୁଟି ରେଞ୍ଜର ଡିଲେଶ୍ୱର ନାୟକ ତରଭା ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି | ହାତୀ ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି | ଫଳରେ ପୁରୁଣାକୋଟ ଓ ଟିକରପଡ଼ା ଅଞ୍ଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି |
Leave a Reply