ଯୁବକଙ୍କୁ ମହଙ୍ଗା ପଡିଲା କିନ୍ନର ପ୍ରେମ,ବିବାହ ପ୍ରତିଶୃତି ଦେଇ କିନ୍ନରଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗ

ଅକ୍ଷର ବ୍ୟୁରୋ : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତ ଜରେଳପଦର ଗ୍ରାମ ଅଁଳାପଡା ର ଯୁବକ ଜଣେ କିନ୍ନରଙ୍କୁ ବିବାହ ପ୍ରତିଶୃତି ଦେଇ ପ୍ରେମ ପରେ ପ୍ରତାରଣା କରିବା ମହଙ୍ଗା ପଡିଛି। ବର୍ତ୍ତମାନ ପ୍ରେମ ପ୍ରତାରଣା ଓ ନିର୍ଯାତନାର ଶିକାର ହୋଇଥିବା କିନ୍ନର ଜଣକ ସମ୍ପୃକ୍ତ ଯୁବକଙ୍କ ଘରେ ପହଞ୍ଚି ଘର ସମ୍ମୁଖରେ ଧାରଣା ରେ ବସିଥିବା ଜଣାପଡିଛି। ଅନ୍ୟପକ୍ଷରେ ଯୁବକ ସହିତ କୋର୍ଟ ମ୍ୟାରେଜ କରି ସାଙ୍ଗରେ ରହିବାକୁ ଜିଦ ଧରିଛି। ନଚେତ ଆତ୍ମହତ୍ୟା କରିବା କୁ ପରିବାର ଲୋକଙ୍କୁ ଧମକ ଦେଇଥିବା ଜଣାପଡିଛି। ସମ୍ପୃକ୍ତ ଯୁବକ ଜଣକ ଜରେଳପଦର ଅଁଳାପଡା ନିଵାସୀ ଫୁଲଚନ ବାଗଙ୍କ ପୁତ୍ର ବେଲାଳସେନ ବାଗ (୨୫) ହୋଇଥିବା ବେଳେ କିନ୍ନର ଜଣକ ଟିଟିଲାଗଡ଼ ଅଞ୍ଚଳର ରିୟା ତାଣ୍ଡି (୨୩) ବୋଲି ସୂଚନା ମିଳିଛି। ପ୍ରାପ୍ତ ଖବର ଅନୁସାରେ ଆଜକୁ ଦୀର୍ଘ ଚାରିବର୍ଷ ତଳୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ଉଭୟେ ଗତ ଚାରି ବର୍ଷ ରୁ ଏକାଠି ରହି ଆସୁଛନ୍ତି। କିଛିଦିନ ବାହାରେ ରହୁଥିବା ବେଳେ କିଛିଦିନ ଯୁବକଙ୍କ ଘରେ ରହୁଥିଲେ। ଦୁହିଁଙ୍କ ମଧ୍ୟରେ ଏତେ ନିବିଡ ପ୍ରେମ ସମ୍ପର୍କ ଥିଲା ଯେ କେବେ ଅଲଗା ହୋଇ ରହିପାରୁ ନଥିଲେ। ଯୁବକର ପରିବାର ଲୋକେ ମଧ୍ୟ ତାଙ୍କୁ ସହମତି ପ୍ରକାଶ କରିଥିଲେ। ଯେହେତୁ କିନ୍ନର ଜଣକ ଯୁବକ ଘରେ ଅବାଧରେ ରହିପାରୁଥିଲା। ଇତି ମଧ୍ୟରେ ନିଜର ପ୍ରେମ ଜୀବନକୁ ଆହୁରି ସୁମଧୁର କରିବା ପାଇଁ କିନ୍ନରଙ୍କ ଯୌନାଙ୍ଗକୁ ସର୍ଜରୀ କରିବାକୁ ଯୁବକ ଜଣକ ପ୍ରବର୍ତ୍ତାଇଥିଲା । ଯୁବକଙ୍କ କଥାରେ ସହମତି ପ୍ରକାଶ କରି ରିୟା ନିଜର ଯୌନାଙ୍ଗକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସର୍ଜରୀ କରିଥିବା ଅଭିଯୋଗ କରିଛି। ସେହିପରି ଯୁବକର ଭଉଣୀଙ୍କୁ ବିବାହ ଦେବାରେ ରିୟା ଲକ୍ଷାଧିକ ଟଙ୍କା ସହଯୋଗ କରିଥିବା ପ୍ରକାଶ କରିଛି। ପୁଣି ଆଗାମୀ ମାର୍ଚ୍ଚ ମାସରେ ଯୁବକର ବଡ ଭାଇର ବିବାହ କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ମଧ୍ୟ ରିୟା ଠାରୁ ମୋଟା ଅଙ୍କର ଟଙ୍କା କୌଶଳକ୍ରମେ ନେଇଯାଇଥିବା ରିୟା ପ୍ରକାଶ କରିଛି।

ଯୁବକଙ୍କ ଘର ସମ୍ମୁଖରେ କିନ୍ନରଙ୍କ ଧାରଣା
ବିବାହ କରି ସାଙ୍ଗରେ ରହିବାକୁ କିନ୍ନରଙ୍କ ଜିଦ
ନଚେତ ଆତ୍ମହତ୍ୟାର ଚେତାବନୀ

ଏମିତିକି ପରିବାର ର ସବୁ ପ୍ରକାର ଖର୍ଚ୍ଚ ଖାଦ୍ୟପେୟ ଠୁ ଆରମ୍ଭ କରି ଚାଷବାସ ପର୍ଯ୍ୟନ୍ତ ରିୟା ବୁଝୁଥିବା କହିଛି। ଏଣେତେଣେ କରି ରିୟା ଯାହା ରୋଜଗାର କରୁଥିଲା ସବୁ ବେଲାଳସେନ ଓ ତାର ପରିବାରକୁ ଦେଇଦେଉଥିଲା। ପୁଣି ଗତ କିଛି ଦିନ ତଳେ ବେଲାଳସେନ ପାଇଁ ଏକ ନୂଆ ହିରୋ ସ୍ପେଲେଣ୍ଡର ବାଇକ କିଣି ଦେଇଥିବା ରିୟା ପ୍ରକାଶ କରିଛି। ରିୟାର କହିବାନୁସରେ ସମ୍ପୃକ୍ତ ଯୁବକ ବେଲାଳସେନ ଓ ତାର ପରିବାରକୁ ନିଜର ବୋଲି ଭାବି ନେଇଥିଲା। ହେଲେ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ନିଜ ବଡଭାଇର ବିବାହ ଥିବାରୁ କିନ୍ନର ଆମଘରେ ରହିଲେ ,ଆମର ଅପମାନ ହେବ କହି ତାକୁ ଘରୁ ବାହାରି ଯିବାକୁ ବାଧ୍ୟ କରି ନିର୍ଯାତନା ଦିଆଯାଇଥିଲା। ଏଥିରେ କିନ୍ନର ରିୟା ଅସନ୍ତୋଷ ପ୍ରକାଶ କରି ନିଜର ସାଥି କିନ୍ନର ମାନଙ୍କୁ ସାଙ୍ଗରେ ଆଣି ଆଜି ଯୁବକର ଘର ସମ୍ମୁଖରେ ଧାରଣାରେ ବସିଥିଲେ। କିନ୍ନର ରିୟା କୁ କୋର୍ଟ ମ୍ୟାରେଜ କରି ସାଙ୍ଗରେ ରହିବାକୁ ଜିଦ ଧରିଥିଲେ। ଦୀର୍ଘସମୟ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ଚାଲିଥିଲା। ଏମିତିକି ଯୁବକର ପରିବାର ଲୋକେ କିନ୍ନର ମାନଙ୍କୁ ଆକ୍ରମଣ କରିବା କୁ ମଧ୍ୟ ପଛାଇ ନଥିଲେ। ପରେ ମୋତେ ବିବାହ ହୋଇ ମୋ ସାଙ୍ଗରେ ନରହିଲେ ଆତ୍ମହତ୍ୟା କରିବି ବୋଲି କିନ୍ନର ରିୟା ସମ୍ପୃକ୍ତ ଯୁବକଙ୍କୁ ଚେତାବନୀ ଦେଇଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଉକ୍ତ ପରିବାର ଉପରେ ମୋର ପ୍ରାୟ ଆଠ ଲକ୍ଷ ଟଙ୍କା ରହିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ସମସ୍ୟାର ସମାଧାନ ନହେଲେ ଆଇନ ର ଆଶ୍ରୟ ନେବି ବୋଲି ସମ୍ପୃକ୍ତ କିନ୍ନର ପ୍ରକାଶ କରିଛନ୍ତି। ଏନେଇ ଯୁବକ ତଥା ପରିବାର ଲୋକ ଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ମତାମତ ମିଳିପାରି ନାହିଁ। ଅନ୍ୟପକ୍ଷରେ ଉକ୍ତ ଘଟଣା ଅଞ୍ଚଳରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial