ଅକ୍ଷର ବ୍ୟୁରୋ : ନିଜ ରୂପ ଲାବଣ୍ୟରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ । ନିଜ ଅଭିନୟ ଯାଦୁରେ ବୋଲ୍ଡ ହୋଇଯାଉଥିଲେ ଷ୍ଟ୍ରିଟ୍ ରୋମିଓ । କିନ୍ତୁ ଆଜି ତାଙ୍କ ପାଇଁ ସବୁକିଛି ତୁଚ୍ଛ । ଝିଲମିଲ ମାୟାନଗରୀରୁ ଆଜି ବିଦାୟ ନେଇଛନ୍ତି । ଆରମ୍ଭ କରିଛନ୍ତି ଜୀବନର ନୂଆ ଇନିଂସ୍ । ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଥିବା ମମତା କୁଲକର୍ଣ୍ଣି ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ନିକଟରେ ଭାରତ ଫେରିଥିବା ମମତା ପ୍ରୟାଗରାଜରେ ମହାକୁମ୍ଭରେ ଭାଗ ନେଇଥିଲେ। ସେ କେବଳ କୁମ୍ଭରେ ଅଂଶଗ୍ରହଣ କରିନଥିଲେ ବରଂ ସନ୍ୟାସ ହେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ମମତା ସନ୍ୟାସୀ ହୋଇଛନ୍ତି ଏବଂ ସେ ପ୍ରୟାଗରାଜ ମହାକୁମ୍ଭରେ ସନ୍ନ୍ୟାସ ଦିକ୍ଷା ଗ୍ରହଣ କରିଛନ୍ତି। ସନ୍ୟାସ ଦିକ୍ଷା ନେବା ପରେ ଅଭିନେତ୍ରୀ ମମତା କୁଲକର୍ଣ୍ଣିରୁ ହୋଇଛନ୍ତି ମମତାନନ୍ଦ ଗିରି । ମମତା କୁଲକର୍ଣ୍ଣିଙ୍କ ପଟ୍ଟାବିଷେକ ଅନୁଷ୍ଠିତ ପରେ ଏବେ ସେ ଆଧ୍ୟାତ୍ମିକ ଜୀବନ ଆରମ୍ଭ କରିଛନ୍ତି। ମମତା ବର୍ତ୍ତମାନ କିନ୍ନର ଆଖାଡାରେ ରହୁଛନ୍ତି ଏହାସହ ସନ୍ନ୍ୟାସ ନେବା ପରେ ସେ ଗେରୁଆ ବସ୍ତ୍ର ମଧ୍ୟ ପିନ୍ଧିଛନ୍ତି।୧୯୯୨ ରେ ସୁପରହିଟ୍ ଚଳଚ୍ଚିତ୍ର ତିରଙ୍ଗା ସହିତ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିବା ମମତା କୁଲକର୍ଣ୍ଣି ପ୍ରାୟ ୪୦ ଟି ବଲିଉଡ ଫିଲ୍ମରେ କାମ କରିଛନ୍ତି। ସେ ଆଶିକ୍ ଆୱାରା, କରଣ ଅର୍ଜୁନ, ୱକ୍ତ ହମାରା ହୈ ଏବଂ କ୍ରାନ୍ତିବୀର ଭଳି ବଡ଼ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି।
୨୦୦୧ ରେ ମୁକ୍ତିଲାଭ କରିଥିବା ଛୁପା ରୁସ୍ତମ ତାଙ୍କର ଶେଷ ହିଟ୍ ଫିଲ୍ମ ଥିଲା। ଏହା ପରେ ସେ ୨୦୦୨ ଚଳଚ୍ଚିତ୍ର କଭି ହମ୍ କଭି ତୁମ୍ ସହିତ ମନୋରଞ୍ଜନ ଦୁନିଆକୁ ବିଦାୟ ଦେଇ କେନିଆ ଯାଇଥିଲେ। ପ୍ରକାଶ ଯୋଗ୍ୟ ଯେ, ହିନ୍ଦୀ ବ୍ୟତୀତ ମମତା କନ୍ନଡ, ତାମିଲ, ତେଲୁଗୁ, ବଙ୍ଗାଳୀ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ମମତା କୁଲକର୍ଣ୍ଣି ୨୪ ବର୍ଷ ପରେ ଭାରତ ଫେରିଛନ୍ତି।
Leave a Reply