ଜାତୀୟ ସ୍ତରରେ ଚମକିଲେ ଅକ୍ସରା

ପୁରୀ : ନିକଟରେ ଗୁଜୁରାଟ ଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଜିମ୍ନାଷ୍ଟିକ୍ସ ଚାମ୍ପିଅନସିପ୍ 2024ର ଜୁନିଅର ଟିମ୍ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରଥମ ଥର ପାଇଁ ପଦକ ମିଳିଛି l ଏହି ଟିମର ଖେଳାଳି ଭାବେ ଅଂଶ ଗ୍ରହଣ କରିଥିଲେ ପୁରୀ ଜିଲ୍ଲାର ପନ୍ଦର ବର୍ଷୀୟ କ୍ରୀଡ଼ାବିତ ଅକ୍ସରା ବେହୁରା l ସ୍ଥାନୀୟ ଜିଲ୍ଲା ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ଅକ୍ସରା ପୂର୍ବରୁ ସ୍କୁଲ ଏବଂ ଓପନ୍ ନ୍ୟାସନାଲରେ 4 ଟି, ମଧ୍ୟପ୍ରଦେଶର ଗ୍ଵାଲିୟର ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପ୍ରତିଯୋଗିତା, ରାଜସ୍ଥାନ, ତ୍ରିପୁରା, ଦିଲ୍ଲୀ,କେରଳ ଠାରେ ଅନୁଷ୍ଠିତ ପ୍ରତିଯୋଗିତା ତଥା ନିକଟରେ ସୁରଟ ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଦଳଗତ ଭାବେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି l ମାତ୍ର ପାଞ୍ଚ ବର୍ଷ ବୟସରୁ ମାଆ ଗାୟତ୍ରୀ ବେହୁରା ଓ ପିତା ଅଶୋକ ବେହୁରାଙ୍କ ପ୍ରେରଣା ଏବଂ କୋଚ ରଶ୍ମି ରଞ୍ଜନ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ଆଜି ଯାଏଁ ଅଭ୍ଯାସ ଜାରି ରଖିଛନ୍ତି l
ଅକ୍ସରା କୁହନ୍ତି ଉଭୟ ମାନସିକ ଏବଂ ଶାରୀରିକ ଭାବରେ ନିଜକୁ ଫିଟ ରଖିବା ପାଇଁ ପାଠ ସହ ଖେଳ ଜରୁରୀ l ତେଣୁ ଉଭୟ ବିଷୟକୁ ସେ ସମାନ ଦୃଷ୍ଟିରେ ରଖି ନିଜର ପରିଶ୍ରମ ଜାରି ରଖିଛନ୍ତି l ଓଡ଼ିଶାର ଜିମ୍ନାଷ୍ଟିକ୍ସ ଖେଳାଳି ମାନେ ଦେଶ ଓ ବିଦେଶରେ ରାଜ୍ୟର ନାମକୁ ଗୌରବାନ୍ବିତ କରୁଥିବାରୁ ଏହି ଖେଳର ଭବିଷ୍ୟତ ଉଜ୍ଜ୍ଵଳ, କାରଣ ଏଠାରେ ଖେଳାଳି ମାନଙ୍କ ପାଇଁ ଉକୃଷ୍ଟ ମାନର ଭିତ୍ତିଭୂମି, କ୍ରୀଡ଼ା ପ୍ରଶିକ୍ଷଣ ଶିବିର ଓ କ୍ରୀଡ଼ା ପ୍ରଶିକ୍ଷକ ଉପଲବ୍ଧ l
ତେବେ ଭାରତର ଗର୍ବ ତଥା ଅଲିମ୍ପିଆନ୍ ଦୀପା କର୍ମକାରଙ୍କୁ ନିଜର ରୋଲ ମଡେଲ ମାନୁଥିବା ଅକ୍ସରା ତାଙ୍କୁ ଦୁଇଥର ଭେଟିଥିବା ବେଳେ, ଉଭୟ ଥର ଦୀପା ତାଙ୍କୁ ପ୍ରୋତ୍ସାହିତ କରିବା ସହ ଅଲମ୍ପିକ୍ ରେ କିପରି ଭାରତ ପାଇଁ ସେ ପଦକ ଜିତିବେ ସେଥିପାଇଁ ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ l
ଅକ୍ସରା କୁହନ୍ତି ତାଙ୍କ ମା ତାଙ୍କ ପାଇଁ ମେରୁଦଣ୍ଡ ସଦୃଶ, ଆଜି ଯୋଉଠି ବି ସେ ସଫଳ ହୋଇଛନ୍ତି ଏହାର ପ୍ରଥମ ଶ୍ରେୟ ତାଙ୍କ ମାଆଙ୍କୁ ଦେବେ l କୋଚ୍ ତାଙ୍କୁ ଅଭ୍ୟାସ କରାନ୍ତି ଏବଂ ମାଆ ତାଙ୍କ ପାଇଁ ଯୋଶ ଭରିଦିଅନ୍ତି l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial