ଚିରନିଦ୍ରାରେ ଉତ୍ତମ ମହାନ୍ତି , ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ

ଅକ୍ଷର ବ୍ୟୁରୋ : ଓଲିଉଡ଼ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି | ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି | ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା | ଉତ୍ତମ ମହାନ୍ତିଙ୍କ ବିୟୋଗରେ ଓଲିଉଡ଼ ତଥା ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି | ଗତ ୬ରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ତାଙ୍କର ଲିଭର ସିରୋସିସ ସହ ନିମୋନିଆର ଚିକିତ୍ସା ଚାଲିଥିଲା | ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ | ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଗଲେ ଉତ୍ତମ | ତାଙ୍କର ପରଲୋକରେ ଓଲିଉଡରେ ଏକ ଯୁଗର ଅବସାନ ଘଟିଲା |

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଦ୍ରୁବ ତାରା ସଦୃଶ | ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓ଼ଡିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ | ଓଡ଼ିଆ କଲା ଜଗତର ସେ ଥିଲେ ଆଇକନ | ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ | ତାଙ୍କ ବିୟୋଗ ଓଡ଼ିଆ କଲା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପୂର୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial