ଅକ୍ଷର ବ୍ୟୁରୋ: ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଛନ୍ତି। ଗତ ୪ଦିନ ହେଲା ପଶ୍ଚିମବଙ୍ଗ ସରକାର ସୀମାନ୍ତରେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡୁ ନଥୁବାରୁ ରାଜ୍ୟ ମଧ୍ୟକୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନାହିଁ । ତଥାପି ଓଡ଼ିଶା ବେପାରୀ ଚୋରାରେ ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ଦେଇ ଓଡ଼ିଶାକୁ ଆଳୁ ଆଣୁଛନ୍ତି। ଦୈନିକ ଆଇଗିଣିଆ ଆଳୁଗଦିକୁ ପ୍ରାୟ ୪୦ରୁ ୫୦ ଟ୍ରକ ଆଳୁ ଆସେ, ଏବେ ଦୈନିକ ୭ରୁ ୮ଟ୍ରକ ଆଳୁ ଆସୁଛି। ଉତ୍ତର ପ୍ରଦେଶରୁ ଆଳୁ ଯୋଗାଣ ସ୍ବାଭାବିକ ଥିଲେ ହେଁ ସେଠାରୁ ଆଳୁ ପହଞ୍ଚିବାରେ ବିଳମ୍ବ ହେବା ସହ ପରିବହନ ଖର୍ଚ୍ଚ ଅଧିକ ଦେବାକୁ ପଡୁଛି। ଏହି କାରଣରୁ କିଛିଦିନର ବ୍ୟବଧାନ ପରେ ଆଳୁ ଦର ପୁଣି ବଢ଼ିଛି।ଆଇଗିଣିଆ ଆଳୁ ଗଦିରେ ଉତ୍ତରପ୍ରଦେଶ ଆଳୁ କୁଇଣ୍ଟାଲ୍ ପିଛା ୨୪ଶହ ଟଙ୍କା ଏବଂ ପଶ୍ଚିମବଙ୍ଗ ଆଳୁ କୁଇଣ୍ଟାଲ୍ ୨୫ଶହ ଟଙ୍କା ରହିଛି। ପାଇକାରୀ ମୂଲ୍ୟ ୨୪ରୁ ୨୫ ଟଙ୍କା ଥିବାବେଳେ ଖୁଚୁରାରେ ଆଳୁ କି.ଗ୍ରା. ୪୦ଟଙ୍କାରେ ବିକ୍ରି ରହସ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଇଗିଣିଆ ଆଳୁଗଦିକୁ ସୋମବାର ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ମୋଟ ୨୩ ଟ୍ରକ ଆଳୁ ଆସିଛି। ୟୁନିଟ-୧ ହାଟରେ ସୋମବାର ସନ୍ଧ୍ୟାରେ ଆଳୁ କି.ଗ୍ରା. ୩୫ଟଙ୍କା ଏବଂ ତିନି କି.ଗ୍ରା. କୁ ୧୦୫ଟଙ୍କାରେ ବିକ୍ରି କରାଯାଉଥିଲା; କିନ୍ତୁ ସେଠାରୁ ଗଳିକନ୍ଦି ବେପାରୀ ଗୋଟିଏ କିମ୍ବା ଦୁଇଟି ପ୍ୟାକେଟ ଆଳୁ ନେଇ କିଲୋପିଛା ୪୦ଟଙ୍କାରେ ବିକ୍ରି କରୁଛନ୍ତି। ଡମଣା, କୋଚିଲାଖାଇ, ଗାନ୍ଧୀ ମାର୍କେଟ ଆଦି ହାଟରେ ଦର ଭିନ୍ନ ରହିଛି।କୁବେରପୁରୀ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି, ଖୋର୍ଦ୍ଧା ଜିଲା ଯୋଗାଣ ଅଧିକାରୀ, ବିଏମସିର ଯୋଗାଣ ଅଧୂକାରୀ ଦର ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ବେପାରୀ ମନଇଚ୍ଛା ଚଢ଼ା ଦରରେ ଆଳୁ ବିକ୍ରି କରୁଛନ୍ତି। ଯଦି ପାଇକାରୀ ଦର ୨୪ରୁ ୨୫ ଟଙ୍କା ରହୁଛି ତେବେ ବେପାର କି.ଗ୍ରା. ପ୍ରତି ୫ଟଙ୍କା ଲାଭରେ ବିକ୍ରି କରିବା କଥା, ହେଲେ କାହିଁକି ୪୦ଟଙ୍କାରେ ବିକ୍ରି କରାଯିବ। ଭୁବନେଶ୍ବରରେ ପ୍ରାୟ ୧୦ହଜାରରୁ ଉର୍ଦ୍ଧ୍ବ ଆଳୁ ପିଆଜ ବ୍ୟବସାୟୀ ବେପାର କରୁଛନ୍ତି । ଯୋଗାଣ ବିଭାଗ ଅଧିକାରୀ ୟୁନିଟ-୧ ହାଟରେ ଚଢ଼ଉ କରୁଥିବା ବେଳେ ରାଜଧାନୀର ଡମଣା, ଗାନ୍ଧୀ ମାର୍କେଟ, କୋଚିଲାଖାଇ ହାଟ ଆଦି ଅନ୍ୟାନ୍ୟ ହାଟରେ ଦରଦାମ ନିୟନ୍ତ୍ରଣ କରାଯାଉ ନାହିଁ ।
ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କଲେ ମମତା ବାନାର୍ଜୀ, ଗତ ୪ଦିନ ହେଲା ଓଡିଶାକୁ ଆସିପାରୁନି ଆଳୁ ଗାଡ଼ି

Leave a Reply