ଅକ୍ଷର ବ୍ୟୁରୋ : ଆଜି ହେଉଛି ସ୍ୱାଧୀନତା ସଂଗ୍ରାମୀ ଓ ଆଜାଦ୍ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ । ଏଥିପାଇଁ ଭୋର ୪ଟାରୁ ନେତାଜୀଙ୍କ ଜନ୍ମଗୃହକୁ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଖୋଲାଯାଇଛି । ସମସ୍ତ ଗ୍ୟାଲେରୀ ସକାଳ ୬ଟାରୁ ଖୋଲିବ ଯାହା ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।
ଓଡ଼ିଆ ବଜାରରେ ଥିବା ଜାନକୀନାଥ ଭବନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ନେତାଜୀଙ୍କ ୧୨୭ତମ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ସଂଗ୍ରହାଳୟରେ ସ୍ମରଣିକା ବିକ୍ରି କରାଯିବ । ଏହାକୁ ଏ. ମିଶ୍ର, ଦୋଳଗୋବିନ୍ଦ ଦାସ ଏବଂ ବନଜ୍ୟୋତ୍ସ୍ନା ମହାପାତ୍ର ବିକ୍ରି କରିବେ । ପାର୍କ ମଧ୍ୟ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ।
ସେହିପରି ଆଜି ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ପ୍ରତିବର୍ଷ ସୁରେନ୍ଦ୍ରଙ୍କ ଜୟନ୍ତୀ ପାଇଁ ତାଙ୍କ ଜନ୍ମମାଟି ଖିଣ୍ଡାରୁ ଆରମ୍ଭ କରି ରାଜ୍ୟସ୍ତର ଯାଏ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଆଉ ସବୁଠି ତାଙ୍କ ସ୍ମୃତିରକ୍ଷା ସକାଶେ ଲମ୍ବା ଚଉଡା ପ୍ରତିଶ୍ରୁତି ଓ ଘୋଷଣାର ବର୍ଷା ବି ହୋଇଥାଏ । ହେଲେ ପରବର୍ତ୍ତୀ ସମୟରେ ପୂର୍ବବତ୍ ଏହି ଜାତୀୟ ବୀରଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କଥା କେବଳ ଭାଷଣରେ ସୀମିତ ହୋଇଯାଉଥିବା ଦେଖିବାକୁ ମିଳିଛି ।
ତେବେ, ଦୀର୍ଘ ବର୍ଷ ପରେ ଜନ୍ମପୀଠ ଖିଣ୍ଡାର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ଅଳ୍ପ ଦିନ ତଳେ ଏହା ସାମିଲ ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଭିତ୍ତିଭୂମି ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି ।
ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗାଁରେ ଜନ୍ମିତ ସୁରେନ୍ଦ୍ର ସମ୍ବଲପୁର ରାଜ ପରିବାରର ଦାୟାଦ ହୋଇଥିଲେ ବି ରାଜକୀୟ ସୁଃଖ ଛାଡି ସେ ପିଲାଟି ଦିନରୁ ବ୍ରିଟିଶ ବିରୋଧରେ ସଂଗ୍ରାମରେ ଝାସ ଦେଇଥିଲେ । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଦୁର୍ଗମ ଜଙ୍ଗଲ ଏବଂ ପାହାଡରେ ଦୁର୍ଗ କରି ସଂଗ୍ରାମ ଚଲାଇଥିବା ବେଳେ ଜୀବନର ଅଧିକାଂଶ ସମୟ ଦୀର୍ଘ ୩୭ ବର୍ଷ ଜେଲ୍ରେ ବିତିଥିଲା ।
ଆଉ ଅସିରଗଡ ଜେଲ୍ରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ । ହେଲେ ଏହାର ୩୦ ବର୍ଷ ପୂର୍ବରୁ ସୁରେନ୍ଦ୍ର ଏହି ସଂଗ୍ରାମରେ ଝାସ ଦେଇ ସାରିଥିଲେ । ୧୮୨୭ରୁ ୧୮୪୦ ମଧ୍ୟରେ ସେ ବିଭିନ୍ନ ପର୍ଯ୍ୟାୟରେ ଇଂରେଜ ବିରୋଧରେ ସଶସ୍ତ୍ର ଲଢେଇ କରିଥିଲେ । ତାଙ୍କ ବୀରତ୍ୱର ଗାଥା ଆଜି ବି ଜାତୀୟ ସ୍ୱାଧୀନତା ସଂଗ୍ରାମରେ ନିଶ୍ଚିତ ଭାବେ ବିରଳ ଘଟଣା ।
Leave a Reply