ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ବିଦାୟ

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା । ପଂଚ ଭୂତରେ ବିଲୀନ ହେବେ ଆଧୁନିକ ଭାରତର ନିର୍ମାତାର ନୀରବ ସ୍ଥପତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ଦେଶକୁ ଆର୍ଥିକ ସୁଧାର ପଥରେ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ସାରା ଦେଶ ମର୍ମାହତ ହୋଇଛି । ଆଜି ପୂରା ରାଷ୍ଟ୍ରୀୟ ସମ୍ମାନରେ ଦିଲ୍ଲୀସ୍ଥିତ ଶକ୍ତି ସ୍ଥଳ ନିକଟରେ ମନମୋହନଙ୍କ ଶେଷକୃତ୍ୟ କରାଯିବ । ୨୦୦୪ରୁ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ୧୦ ବର୍ଷ ପର୍ଯ୍ୟନ୍ତ ଭାରତ ସେବାରେ ଅବିରତ କାର୍ଯ୍ୟ କରିଥିଲେ, ଯାହାକୁ ଭାରତବାସୀ କେବେ ଭୁଲିବେ ନାହିଁ । ଆଜି ସକାଳ ୮ଟାରେ ମରଶରୀରକୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯିବ। ସେଠାରେ ଦଳୀୟ କର୍ମୀ ଓ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ୯ଟା ୩୦ରେ ଏଆଇସିସି କାର୍ଯ୍ୟାଳୟରୁ ଶ୍ମଶାନ ସ୍ଥଳକୁ ଶୋଭାଯାତ୍ରାରେ ନିଆଯିବ। ମନମୋହନଙ୍କ ପରଲୋକରେ ବିଶ୍ୱନେତାମାନେ ଶୋକବ୍ୟକ୍ତ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତର ଆର୍ଥତ୍କ ସଂସ୍କାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ମଜଭୁତ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ଏଥିରୁ ପ୍ରତିଫଳିତ ହେଉଛି। ବନ୍ଧୁ ମନମୋହନଙ୍କ ପରଲୋକରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକଁର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତ ଜଣେ ମହାନ୍‌ ବ୍ୟକ୍ତିଙ୍କୁ ହରାଇଲା ବୋଲି କହିଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମ୍‌ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଭାରତକୁ ବିଶ୍ୱର ବୃହତ୍‌ ଅର୍ଥନୀତିରେ ପରିଣତ କରିବାରେ ଏହି ଅର୍ଥନୈତିକ ସଂସ୍କାରର ବିନ୍ଧାଣୀଙ୍କର ପ୍ରମୁଖ ଭୂମିକା ରହିଛନ୍ତି। ଭାରତ ଆମେରିକା ରଣନୈତିକ ସହଭାଗିତାରେ ଡ. ସିଂ ମହାନ ଚାମ୍ପିଅନ୍‌ ଥିଲେ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial