ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଚିନ୍ତାରେ ଚାଷୀ କୂଳ

ଅକ୍ଷର ବ୍ୟୁରୋ : ଗଞ୍ଜାମ ଜିଲା ଆସିକା ବ୍ଲକ ଓ ଧରାକୋଟ ବିଭିନ୍ନ ପଂଚାୟତରେ ନାନା ଅବ୍ୟବସ୍ଥା ମଧ୍ୟରେ ଧାନ କିଣା ଚାଲିଛି। ମିଲର୍ସ, ଧାନ ବେପାରୀ ମଧୁଚନ୍ଦ୍ରିକାରେ ଆରମ୍ଭ ହୋଇଛି ଧାନ କିଣା। ଫଳରେ ପ୍ରକୃତ ଚାଷୀ ଏବେ ସରକାରୀ ଧାର୍ଯ୍ୟ ମୂଲ୍ୟ ନ ପାଇ କ୍ଷତି ସହିବା ନିଶ୍ଚିତ ହୋଇଛି। ରାଜ୍ୟ ସରକାର ଚାଷୀ ଉପାର୍ଜିତ ଧାନକୁ ଠିକ ସମୟରେ ଓ ଉଚିତ୍‌ ମୂଲ୍ୟରେ ବିକିବା ପାଇଁ ଇ-ପାସ ବ୍ୟବସ୍ଥା କରିଛନ୍ତି। ଚଳିତବର୍ଷ ଚାଷୀଙ୍କ ପଞ୍ଜୀକରଣରେ ମଧ୍ୟ ସ୍ବଚ୍ଛତା ଆଣିବା ପାଇଁ ସ୍ବତନ୍ତ୍ର ସଫ୍ଟୱେର ମାଧ୍ୟମରେ ପଞ୍ଜୀକରଣ ହୋଇଛି। ଚାଷୀଙ୍କ ପାଖକୁ ଠିକ୍‌ ସମୟରେ ଟୋକନ ମଧ୍ୟ ଆସିଛି। ହେଲେ ଚାଷୀର ଧାନ କେତେ କେଜି କଟନୀ ଛଟନୀ ହେବ ତାହା ନ ଛିଣ୍ଡିବାରୁ ଅନେକ ପଂଚାୟତ ରେ ଧାନ କିଣାରେ ବିଳମ୍ବ ପରିଲକ୍ଷିତ ହୋଇଛି। ଧାନ ବିକ୍ରି ଆରମ୍ଭ ପୂର୍ବରୁ ମିଲ ମାଲିକମାନେ ପହଞ୍ଚି ବେପାରୀ ଓ କର୍ତ୍ତୃପକ୍ଷଙ୍କ ସହ ବୈଠକ କରି ସେଟିଂ ହୋଇ ସାରିଥିବା ଚର୍ଚ୍ଚା ହେଉଛି। ଏପରି କି କୁଇଣ୍ଟାଲ ପିଛା 8 ରୁ 10 କେଜି ଲେଖାଏ କଟନୀ ଛଟନୀ କରିବା ପାଇଁ ମିଲର୍ସ ରୋକଠୋକ ଶୁଣାଇଥିବା ଓ ବେପାରୀମାନେ ତାହାକୁ ସମର୍ଥନ ଜଣାଇଥିବାରୁ ପ୍ରକୃତ ଚାଷୀ ଏବେ ହରଡଘଣାରେ ପଡିଥିବା ଅଭିଯୋଗ ହେଉଛି। ଏହି ସମସ୍ୟା ପାଇଁ ଅଦ୍ୟାବଧି ଧାନ ଉଠି ପାରିନାହିଁ। ଯେଉଁଥିପାଇଁ ଚାଷୀ ରାଜ୍ୟ ସରକାର ଧାନ କିଣାକୁ ନେଇ ସ୍ବଚ୍ଛତା ଆଣିବା ପାଇଁ ଯେତେ କଟକଣା ଲାଗୁ କଲେ ମଧ୍ୟ ମିଲର୍ସ ଓ ବେପାରୀ ମର୍ଜିରେ ଚାଲିଛି ଧାନ କିଣା। ଏ ଦିଗରେ ଯୋଗାଣ ବିଭାଗ ଓ ଜିଲାପାଳ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ମହଲରେ ଦାବି ହେଉଛି !

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial